କାମ କରିବା ସମୟ ୧୦ ଘଣ୍ଟା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ନୂତନ ଶିଳ୍ପ ଏବଂ ନିବେଶକୁ ଆକର୍ଷିତ କରିବା, କାରଖାନାଗୁଡ଼ିକର ଉତ୍ପାଦନ ବୃଦ୍ଧି କରିବା, ଅଧିକ ଓଭରଟାଇମ୍ କାମ କରିବାକୁ ଅନୁମତି ଦେଇ ଶ୍ରମିକଙ୍କ ରୋଜଗାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬, କାରଖାନା ଆଇନ,୧୯୪୮ରେ ସଂଶୋଧନ ଆଣିଛନ୍ତି। ଶ୍ରମ ବିଭାଗର ଏ ସଂକ୍ରାନ୍ତୀୟ ସଂଶୋଧନ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଉପରୋକ୍ତ ପ୍ରସ୍ତାବ ସମେତ ୩ଟି ବିଭାଗର ୪ଟି ପ୍ରସ୍ତାବକୁ ଅନୁମୋଦନ କରିଛି। ଏଥିରେ ଶ୍ରମ ବିଭାଗର ଦୁଇଟି, ପୂର୍ତ୍ତ ବିଭାଗର ଗୋଟିଏ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୋଟିଏ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ରେ ସଂଶୋଧନ ଅନୁଯାୟୀ, ଯେଉଁ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ୨୦କିମ୍ବା ତଦୁର୍ଦ୍ଧ୍ବ କର୍ମଚାରୀ ନିୟୋଜିତ କରିଥିବେ ସେମାନଙ୍କ ପାଇଁ ଓଡ଼ିଶା ଦୋକାନ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ, ୧୯୫୬ ଲାଗୁ ହେବ। କିନ୍ତୁ ଏହି ଆଇନରେ ଥିବା ନିୟମ ଅନୁଯାୟୀ ସମସ୍ତ ପ୍ରତିଷ୍ଠାନ ଓଡ଼ିଆ ସାଇନ୍‌ବୋର୍ଡ ଲଗାଇବାକୁ‌ ହେବ।

ସେହିପରି ଦୈନିକ କାର୍ଯ୍ୟ ଅବଧି ୯ଘଣ୍ଟାରୁ ୧୦ଘଣ୍ଟାକୁ ବୃଦ୍ଧି କରାଯାଇଛି। କିନ୍ତୁ କୌଣସି କର୍ମଚାରୀ ଅତିି କମ୍‌ରେ ଅଧ ଘଣ୍ଟାର ବ୍ୟବଧାନ ବିନା ନିରନ୍ତର ୬ଘଣ୍ଟାରୁ ଅଧିକ କାର୍ଯ୍ୟ କରିବେନି। ‌େତ୍ରୖମାସିକ ଓଭରଟାଇମ୍ କାର୍ଯ୍ୟସୀମା ୧୧୫ଘଣ୍ଟାରୁ ୧୪୪ଘଣ୍ଟାକୁ ବୃଦ୍ଧି କରାଯାଇଛି। କୌଣସି ପ୍ରତିଷ୍ଠାନରେ ଜଣେ କର୍ମଚାରୀ କୌଣସି ଦିନରେ ୧୦ ଘଣ୍ଟାରୁ ଅଧିକ କିମ୍ୱା କୌଣସି ସପ୍ତାହରେ ୪୮ ଘଣ୍ଟାରୁ ଅଧିକ କାର୍ଯ୍ୟ କରିଲେ, ସେ ଓଭରଟାଇମ କାର୍ଯ୍ୟ ବାବଦକୁ ସାଧାରଣ ମଜୁରି ହାରର ଦୁଇ ଗୁଣା ମଜୁରି ପାଇବେ। ପ୍ରତିଷ୍ଠାନଗୁଡ଼ିକ ଦିନରାତି ୨୪ଘଣ୍ଟା ଏବଂ ବର୍ଷକୁ ୩୬୫ଦିନ ଖୋଲା ରହିପାରିବ। ଏହାକୁ ନଜରରେ ରଖି ଦୈନିକ ସର୍ବାଧିକ ସମୟ କାର୍ଯ୍ୟ ଅବଧିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟ ସରକାର ବିଜ୍ଞପ୍ତି ମାଧ୍ୟମରେ ସର୍ବାଧିକ ଦୈନିକ କାର୍ଯ୍ୟ କରିବା ଅବଧି ୧୨ଘଣ୍ଟାକୁ ବୃଦ୍ଧି କରିପାରିବେ। କିନ୍ତୁ ଏଥିପାଇଁ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ଆବଶ୍ୟକୀୟ ବିଶ୍ରାମ ମିଳିବା ଦରକାର।

ଏହାସହ ରାତିରେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଲିଖିତ ସମ୍ମତିରେ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଅଧିସୂଚିତ ସର୍ତ୍ତାବଳୀ ଅନୁଯାୟୀ ରାତିରେ ନିୟୋଜିତ କରାଯାଇପାରିବ ବୋଲି ନିଷ୍ପତ୍ତି ହୋଇଛି। ସେହିପରି ଆଜି ରାଜ୍ୟ କ୍ୟାବିନେଟ୍‌ରେ ଗ୍ରାମପଞ୍ଚାୟତ ସ୍ତରରେ ଆଦର୍ଶ ବିଦ୍ୟାଳୟ ବିକାଶ ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାକୁ ଅନୁମୋଦନ ମିଳିଛି। ଏଥିରେ ୩ବର୍ଷରେ ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ଟି ମଡେଲ୍ ସ୍କୁଲ ନିର୍ମାଣ ପାଇଁ ୧୨ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ଖର୍ଚ୍ଚ ପ୍ରାୟ ୫ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ପ୍ରତ୍ୟେକ ସ୍କୁଲ ପାଇଁ ଡିପିଆର୍ ଆଧାରରେ ପ୍ରକୃତ ଖର୍ଚ୍ଚ ନିର୍ଣ୍ଣୟ କରାଯିବ।

ଆଜିର କ୍ୟାବିନେଟ୍ ବୈଠକରେ ଘଟଗାଁସ୍ଥିତ ମା’ ତାରିଣୀ ପୀଠକୁ ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଏହାର ପାରିପାର୍ଶ୍ବିକ ବିକାଶ ନିମନ୍ତେ ୧୪୬ କୋଟି ଟଙ୍କାର(ଜିଏସ୍‌ଟିକୁ ବାଦ୍ ଦେଇ) ଟେଣ୍ଡରକୁ ଅନୁମୋଦନ ମିଳିଛି। ଏହି ନିର୍ମାଣ କାର୍ଯ୍ୟ ଦିଲ୍ଲୀପ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍‌ କରିବ। ୫୯.୨୦୬ଏକର ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ହେବାକୁ ଥିବାବେଳେ ଏହାକୁ ୨୪ମାସରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। 

ଏହି ବିକାଶ କାର୍ଯ୍ୟ ପାଇଁ ମୋଟ ୨୨୬କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ଏଠାରେ ଭକ୍ତଙ୍କ ସୁବିଧା ପାଇଁ ୨୧୬ଶଯ୍ୟା ବିଶିଷ୍ଟ ଯାତ୍ରୀନିବାସ, ତୀର୍ଥ ଯାତ୍ରୀ କେନ୍ଦ୍ର, ଇଣ୍ଟର‌ପ୍ରିଟେସନ୍ ସେଣ୍ଟର, ଫୁଡ୍‌ ପ୍ଲାଜା, ୱାଚ୍‌ ଟାୱାର, ମାର୍କେଟ କମ୍ପ୍ଲେକ୍ସ, ନଡ଼ିଆ ଭଣ୍ଡାର ଓ ପ୍ରସାଦ ସେବନ ପ୍ରକୋଷ୍ଠ (୫୦୦ଜଣ ବସିବା ଭଳି), ଜିନିଷ ରଖିବା ଘର ଆଦି ନିର୍ମାଣ ହେବ। 

By Kalantar

About Us ! Welcome To Thekalantar.com Thekalantar.com is a Professional ENews Platform. Here we will only provide you with interesting content that you will enjoy very much. We are committed to providing you the best of ENews, with a focus on reliability and Newspaper . we strive to turn our passion for ENews into a thriving website. We hope you enjoy our ENews as much as we enjoy giving them to you. I will keep on posting such valuable anf knowledgeable information on my Website for all of you. Your love and support matters a lot. Thank you For Visiting Our Site Have a great day !

Leave a Reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.